ନୂଆଦିଲ୍ଲୀ: ଲଗାତର ଭାବେ ୧୫ ବର୍ଷ ସରକାର କରି ମଧ୍ୟ କଂଗ୍ରେସ ପାଇଁ ଦିଲ୍ଲୀ ଦୁରେଇ ଯାଇଛି। ଦିଲ୍ଲୀ ବିଧାନସଭା ଭୋଟରେ ଦ୍ବିତୀୟ ଥର ଲାଗି ଦଳ ଖାତା ଖୋଲି ପାରିନି। ଶୀଲା ଦୀକ୍ଷିତଙ୍କ ନେତୃତ୍ବରେ ଦିଲ୍ଲୀରେ କଂଗ୍ରେସ ଲଗାତର ବିଜୟୀ ହେଉଥିଲା। ୨୦୧୫ ରେ ଶୀଲାଙ୍କ ପରାଜୟ ପରଠୁ ଆଉ ଅଣ୍ଟା ସଲଖି ଛିଡା ହୋଇପାରୁନି କଂଗ୍ରେସ । ଏ ଥର ଏହି ସ୍ଥିତି ଅଧିକ ଯନ୍ତ୍ରଣାଦାୟକ ହୋଇଛି ସବୁଠୁ ପୁରୁଣା ଦଳ ପାଇଁ । କଂଗ୍ରେସ ଏଇ ନିର୍ବାଚନରେ ଆରଜେଡି ସହ ମେଣ୍ଟ କରିଥିଲା । ମୋଟ ୭୦ ବିଧାନସଭା ଆସନରୁ କଂଗ୍ରେସ ୬୬ ଏବଂ ଆରଜେଡି ୪ ଟି ଆସନରେ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ମେଣ୍ଟ ଖାତାକୁ ଗୋଟିଏ ବି ଆସନ ଆସି ପାରିନି। ୬୩ କଂଗ୍ରେସ ପ୍ରାର୍ଥୀ ସେମାନଙ୍କ ଅମାନତ ହରାଇଛନ୍ତି। ଦଳର ଏପରି ବଡ଼ ପରାଜୟ ପାଇଁ ନିଜକୁ ଦାୟୀ କରି ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ସୁଭାଷ ଚୋପ୍ରା ଇସ୍ତଫା ଦେଇଛନ୍ତି ।
